ସକାଳ
ସୁରେଶ କୁମାର ତ୍ରିପାଠୀ

ଏହି ରାତି ପାହିଯିବ
ମନର ଅନ୍ଧାର ଉପରେ
ଆଲୋକର ରେଖା ରାଜୁତି କରିବ ।
ପକ୍ଷୀ ରାଜିର ମନଲୋଭା ଶବ୍ଦରେ
ସ୍ବାଗତ ସଙ୍ଗୀତ ଗଜଲ୍ ଗାଇବ
ସିନ୍ଦୁରା ଫାଟିବ , ତାରା ଲିଭି ଯିବ
ଆକାଶ ଛାତିରେ ଜହ୍ନ୍ନ ମାମୁ ଫିକା ଦିଶୁଥିବ
ଯେବେ ପୁଣି ସକାଳ ଆସିବ ।

ଶ୍ଳୋକ ସଙ୍ଗୀତ ର ମୂର୍ଚ୍ଛନା ଭିତରେ
ଦେବ ନଗରୀରେ ସକାଳ ଆସିବ।
ଦିଅଁ ପୂଜାରେ ମଗ୍ନ ଥିବା ମନ୍ତ୍ରୀ ଝିଅର
ସ୍ବପ୍ନ କଣ ସତେ ଅଙ୍କୁରିତ ହେବ ?
ରାଜା ପୁଅ ସହ ଶୁଭ ମହୁରତ ତାଳେ
ସଂସାର ଚିତ୍ର ଝଲସି ଉଠିବ
ତା ପ୍ରେମର ଉଛୁଳା ନଦୀରେ ଜୁଆର ଆସିବ
କାବେରୀରେ ଫୁଲ ମାଳା ନାଚି ଝଳସିବ
ଯେବେ ପୁଣି ସକାଳ ଆସିବ ।

ଫୁଲ ବିକା ମାଉସୀ ପସରା
ନାଲି ନେଲି ଫୁଲ ପାଖୁଡ଼ାରେ ପୁରି ଉଠୁଥିବ।
ବେଲ ପତ୍ର ଦୁବ ଗନ୍ଧ କର୍ପୁର ରେ ,
ପାପକୁ ନିଲାମ ଲଗାଇ ପୁଣ୍ୟ ଅର୍ଜି ବାକୁ
କେତେ କଣ ଫିକର ଲାଗିବ।
କ୍ଷୀର ବାଲା ଡାକି ଚାଲିଥିବ
ଶିବ ଲିଂଗରେ ପାଦୁକା ଲାଗିବ
ଗୋ ରସରେ ପାପ ସବୁ ଧୋଇ ହୋଇଯିବ
ଯେବେ ପୁଣି ସକାଳ ଆସିବ ।

Leave a Reply