Blog

ବାତ୍ୟା

ବାତ୍ୟା

ଚାରି ଆଡେ଼ ଫିକା ଅନ୍ଧାର । ସମସ୍ତେ ଚର୍ଚ୍ଚା କରୁଛନ୍ତି ବାତ୍ୟା ଆସିବ । ଏହି ବାତ୍ୟାର ଭୟ ଘାରିଛି ଗୋପାଳପୁର ଗାଁର ସବୁ ଗ୍ରାମବାସୀଙ୍କୁ। ନଈ କୂଳିଆ ଗାଁ। ଅଳ୍ପ ଦୂର ରେ ନଈ ସମୁଦ୍ରରେ ମିଶିଛି। ବେଳେ ବେଳେ ସମୁଦ୍ରର ଜୁଆର ସବୁ ମାଡ଼ି ଆସି ନଈ ମୁହାଣ ଦେଇ। ଗାଁ ଲୋକ ବି ଅତୀତରେ ନଈର ଭୟଙ୍କର ରୂପ ଦେଖିଛନ୍ତି। ବର୍ଷସାରା ପିଇବା ପାଣି ର ସମସ୍ୟା ଥାଏ। ଲୁଣିଆ ପାଣି । ଲୁଣି ହାୱା ରେ ଘରର ସିମେଣ୍ଟ ଠାରୁ ଆରମ୍ଭ କରି ଇଟା ପର୍ଯ୍ୟନ୍ତ କ୍ଷୟ କ୍ଷତି ର ଶିକାର ହୋଇ ଥାଆନ୍ତି। ଜମିରେ ଭଲ ଫସଲ ହୁଏ ନାହି। ଲଗାଣ ବର୍ଷା ଆଉ ଜମିରୁ ପାଣି ନ ଛାଡ଼ିବା ରୁ ଫସଲ କ୍ଷତି ଗ୍ରସ୍ତ ହୁଏ। ଏହି ବର୍ଷ ଭଲ ଫସଲ ହୋଇଥିଲା। ବାତ୍ୟା କୁ ଦେଖି ଗାଁ ର ଚାଷୀ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛି। ଏମିତି ସମ୍ଭାବନା ଭିତରେ ଚିତ୍ରା ମାଉସୀ ବି ଗାଁ ରେ ଭୟଭୀତ ଅବସ୍ଥାରେ ଅଛି। ସ୍ବାମୀ ଶଯ୍ୟାଶାୟୀ । ପକ୍ଷାଘାତ ରୋଗରେ ଶିକାର ହୋଇ ଦୁଇ ବର୍ଷ ହେବ ବିଛଣା ରୁ ଉଠୁ ନାହାନ୍ତି । ମାଉସୀ ସବୁ ଦାୟିତ୍ଵ ନେଇ ସ୍ବାମୀ ଙ୍କ ଚିକିତ୍ସା ରେ ଲାଗିଛନ୍ତି । ଗୋଟିଏ ବୋଲି ପୁଅ ଜିତେନ୍ଦ୍ର। ସୁଦୂର ଗୁଜୁରାଟ ରେ କୋଉ ପ୍ରାଇଭେଟ୍ କମ୍ପାନୀରେ କାମ କରେ। ବର୍ଷକୁ ଥରେ ଅଧେ ଆସେ କି ନାହିଁ। ପ୍ରଥମେ ପ୍ରଥମେ ପ୍ରତି ମାସରେ ପଇସା ପଠେଇ ଦେଉ ଥିଲା । ଏବେ ସେମିତି ନାହି । ଦୁଇ ଚାରି ମାସରେ ଇଛା ହେଲେ କିଛି ପଇସା ଦିଏ ନ ହେଲେ ନାହିଁ। ମାଆ ବେଳେ ବେଳେ ପୁଅକୁ ଫୋନ୍ କରେ । ନାତି ସହିତ ବି କଥା ହୁଏ । ବୋହୂ ସ୍ବପ୍ନା କିନ୍ତୁ ନିହାତି ଭିନ୍ନ।ବାତ୍ୟା କୁ ଦେଖି ବୋହୂର ଫୋନ୍ ଆସିଲା। ମା ଆପଣ କେମିତି ଅଛନ୍ତି । ଟିଭି ରେ ଦେଖିଲି ଓଡ଼ିଶାରେ ବାତ୍ୟା ର ଭୟ ଅଛି। ଆପଣ ବାପା ଙ୍କ ଦାୟିତ୍ଵ ନେବେ। ଘର କବାଟ ଝରକା ସବୁ ବନ୍ଦ ରଖିବେ । ଦରକାର ପଡ଼ିଲେ ଗାଁ ର ପିଲା ମାନଙ୍କ ସହଯୋଗ ରେ ବାପା ଙ୍କୁ ଉପର ଘରକୁ ନେଇଯିବେ। ଆପଣ ମଧ୍ୟ ତଳ ଘରେ ରହିବେ ନାହି। ମା ଆପଣ କହୁଥିଲେ ମହାବାତ୍ୟାରେ ତଳ ଘରେ ଆଣ୍ଠିଏ ପାଣି ହୋଇଥିଲା । ତେଣୁ ତଳ ଘର ଆମ ପାଇଁ ସୁରକ୍ଷିତ ନୁହେଁ।ବୋହୁ ର ସବୁ କଥାରେ ହିଁ ହଁ ମାରିଥିଲେ ଚିତ୍ରା ମାଉସୀ। ଭାବୁ ଥିଲେ ବିଚାରୀ ପର ଘର ଝିଅ କିନ୍ତୁ ବହୁତ୍ ଭଲ। ଆଜି ଯାଏ ଏହି ଘର ସିନା ଦେଖି ନାହି ମାତ୍ର ନିହାତି ନିଜର । ପୁଅ ମୋର ସେମିତି ହେଲା ନାହି । ବୋହୂ ର ଫୋନ୍ ସରିବା ବେଳକୁ ଚିତ୍ରା ମାଉସୀ ଆଖିରେ ଲୁହ ଆସି ଯାଇ ଥିଲା । ଏକା ଏକା ଛାତ୍ ଉପରକୁ ଯାଇ ଲୁହ ପୋଛିଲା ଚିତ୍ରା ମାଉସୀ। ଜୀବନ ଏମିତି । ନିଜ ଜନ୍ମକଲା ପୁଅ ପଚାରି ନାହି ମାତ୍ର ପର ଝିଅ ନିହାତି ନିଜର। ସବୁ ଦିନ ଫୋନ୍ କରେ । ଶଶୁର ତାକୁ ଆଜି ଯାଏ ଘରକୁ ଆସିବାକୁ ଆନୁମତି ଦେଇ ନାହାନ୍ତି । ସେ କିନ୍ତୁ ଭଲ ମନ୍ଦ କଥା ବୁଝେ। ଶଶୁରଙ୍କ ସହିତ ବି କଥା ହୁଏ। ପୁଅକୁ ଲୁଚେଇ ଗାଁ ର ଅନ୍ୟ ପିଲା ଯେଉଁ ମାନେ ଗୁଜୁରାଟ ରେ ଜିତେନ୍ଦ୍ର ସହିତ ଅଛନ୍ତି ସେମାନେ ଗାଁ କୁ ଫେରିବା ବେଳେ ତାଙ୍କ ହାତରେ ଭଲ ମନ୍ଦ ଜିନିଷ ପଠାଇ ଥାଏ । ବେଳେ ବେଳେ ଶାଶୂଙ୍କ ପାଇଁ ଶାଢ଼ୀ ଆଉ ଶଶୁରଙ୍କ ପାଇଁ ଧୋତି ବି ପଠାଏ ।

ବାତ୍ୟା

ଛାତ ଉପରେ ଚିତ୍ରା ମାଉସୀ ଭଙ୍ଗା ଚଉକି ଉପରେ ଥକା ମାରି ବସି ଭାବୁ ଥିଲେ…।

ଜିତେନ୍ଦ୍ର କଲେଜ ରେ ପାଠ ପଢିବା ବେଳେ ଏହି ଝିଅକୁ ଭଲ ପାଇ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା ଘରେ। ଝିଅଟି ସୁନ୍ଦର ଥିଲା। ଭଲ ପରିବାର ର ବି। ଝିଅର ବାପା ମା ଉଭୟ ଶିକ୍ଷକ ଥିଲେ । ଶିକ୍ଷକ ପରିବାର ର ସଣ୍ଠଣା ଭିତରେ ଝିଅଟି ବଡ ହୋଇ ଥିଲା। ପୁଅ ଜିତେନ୍ଦ୍ର ର ସହପାଠୀ ଥିଲା ସେ । ଜିତେନ୍ଦ୍ର ର ବାପା ଏହି ପ୍ରସ୍ତାବ କୁ ଗ୍ରହଣ କଲେ ନାହି। ସେ ତାଙ୍କ ପିଲା ଦିନର ସାଙ୍ଗ ଙ୍କ ଝିଅକୁ ବୋହୂ କରିବେ ବୋଲି କଥା ଦେଇଥିଲେ । ଗୋଟିଏ ପଟରେ ପୁଅର ଭଲ ପାଇବା ଆଉ ଗୋଟିଏ ପଟରେ ବାପାଙ୍କର ପ୍ରତିସୃତି ଭିତରେ ଲଢେଇ ହେଲା। ବାପା ଯେତେ ବୁଝାଇଲେ ପୁଅ କିଛି ବୁଝିଲା ନାହିଁ। ଜିଦ୍ ଧରି ବସିଲା ସ୍ୱପ୍ନା କୁ ବିବାହ କରିବ। ଚିତ୍ରା ମାଉସୀ ଯେତେ ବୁଝା ସୁଝା କଲେ ବି କୌଣସି ଲାଭ ହେଲା ନାହିଁ । ଶେଷରେ ଦିନେ ସ୍ଵପ୍ନା କୁ ଧରି ଜିତେନ୍ଦ୍ର ଗୁଜୁରାଟ ଚାଲିଗଲା। ସେଇଠି ବିବାହ କରି ରହିଲା । ସ୍ୱପ୍ନା ର ପରିବାର ଲୋକ ପ୍ରଥମେ ପ୍ରତିକ୍ରିୟା ଶୀଳ ହେଲେ ତା ପରେ ଚୁପ୍ ଚାପ୍ ରହି ଗଲେ। ବାପା କିନ୍ତୁ ପୁଅ ମୁଁହ ଆଉ ଚାହିଁଲେ ନାହି। ସେହିଦିନୁ ପୁଅ ସହିତ କଥାବାର୍ତ୍ତା ବି ବନ୍ଦ କରି ଦେଲେ। ମନ୍ ଭିତରେ ବହୁତ୍ ଯନ୍ତ୍ରଣା ପାଇଲେ । ଏମିତି ବାର ବର୍ଷ ବିତି ଗଲାଣି ବାପା ପୁଅଙ୍କର ଭେଟ ହୋଇ ନାହିଁ। ଜିତେନ୍ଦ୍ର ଅନେକ ଥର ଘରକୁ ଆସିଛି ମାତ୍ର ବାପା ପୁଅ ମୁହଁ ଖୋଲି କଥା ହୋଇ ନାହାନ୍ତି କିମ୍ବା ସାମନା ସାମନି ହୋଇ ନାହାନ୍ତି । ଘର ଭିତର ର ସୁଖ ଶାନ୍ତି ସେଇ ଦିନୁ ଶେଷ ହୋଇ ଯାଇଛି।

ଏତିକି ବେଳେ ସରକାରଙ୍କ ତରଫରୁ ଡାକ ବାଜି ଯନ୍ତ୍ର ଜରିଆରେ ଘୋଷଣା କରାଗଲା ବାତ୍ୟା ବହୁତ୍ ଭୟଙ୍କର ହେବ। ସବୁ ଲୋକ ନିରାପଦ ସ୍ଥାନକୁ ଚାଲିଯିବେ। ଘରେ ପ୍ରଚୁର ପରିମାଣର ପିଇବା ପାଣି ଶୁଖିଲା ଖାଦ୍ୟ ରଖିବେ। ମହମ୍ ବତୀ ଆଉ ଦିଆସିଲି ବି ରଖିବେ। ଗୋରୁ ଗାଈ ଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇ ଯିବେ । ଚିତ୍ରା ମାଉସୀ ଭୟରେ ଥରିବାକୁ ଲାଗିଲେ । ବାତ୍ୟାରେ କି ଅବସ୍ଥା ହେବ। ଗାଈ ବାଛୁରୀ ଦୁଇଟା କୋଉଠି ରହିବେ ?? ଏମିତି ଗୋଟିଏ ଭୟ ତାଙ୍କୁ ବ୍ୟତି ବ୍ୟସ୍ତ କରି ପକେଇଲା। ଏତିକି ବେଳେ ଘରର କଳିଂ ବେଲ ବାଜି ଉଠିଲା। ଚିତ୍ରା ମାଉସୀ କବାଟ ଖୋଲିଲେ। ଦେଖିଲେ ତାଙ୍କ ବୋହୂ ବୟସର ସ୍ତ୍ରୀ ଲୋକ ଟିଏ। ହାତରେ ବିସ୍କୁଟ ଚୂଡା ଛତୁଆ ଆଦି ଶୁଖିଲା ଖାଦ୍ୟ ପୁଡିଆ। ସନ୍ତର୍ପଣରେ ପଚାରିଲେ ମା ଏଇଟା ଜିତେନ୍ଦ୍ର ବାବୁଙ୍କ ଘର ତ। ଚିତ୍ରା ମାଉସୀ ବାଟ କଢାଇ ଘର ଭିତରକୁ ନେଲେ ତାଙ୍କୁ। ଚେୟାର ଦେଲେ ବସିବାକୁ। ଜାଣିଲେ ଏହି ସ୍ତ୍ରୀ ଲୋକଟି ବୋହୂର ସାଙ୍ଗ । ବ୍ଲକ୍ ରେ ଚାକିରି କରିଛି। ବୋହୂ ତାକୁ ଫୋନ୍ କରି କହିଛି ଶାଶୁ ଶଶୁରଙ୍କୁ ଭେଟିବା ପାଇଁ। ପଇସା ବି ପଠାଇ ଦେଇଛି ଚୂଡା ବିସ୍କୁଟ କିଣି ନେବା ପାଇଁ। ଚିତ୍ରା ମାଉସୀ ଆଖିର ଲୁହ ଆହୁରି ଅଧିକ ଗତିରେ ବୋହି ଚାଲିଲା। ସ୍ତ୍ରୀ ଲୋକ ଜଣ ବି ଲୁହ ସମ୍ଭାଳି ପାରିଲେ ନାହିଁ । ଦୁହେଁ କୋଲାକୋଲି ହୋଇ କାନ୍ଦିଲେ। ଚିତ୍ରା ମାଉସୀ କହୁ ଥିଲେ ପୁଅ ଆମର ହେଲା ନାହି। ଦିନେ ପଚାରିଲା ନାହି ଆମେ କେମିତି ଅଛୁ। ମାତ୍ର ପର ଘର ଝିଅ ନିଜର ଠୁ ଅଧିକ। ଏହି ସମୟରେ ଘରୁ ଡାକ ଶୁଭିଲା ଚିତ୍ରା ଔଷଧ ଦିଅ । ଔଷଧ ଖାଇବାର ସମୟ ହୋଇ ଗଲାଣି। ଚିତ୍ରା ମାଉସୀ ଉତ୍ତର ଦେଲେ ଔଷଧ ସରି ଯାଇଛି । ମୁଁ ଆଣିଲେ କାଲି ଖାଇବ। ଠିକ୍ ସେହି ସମୟରେ ସ୍ତ୍ରୀ ଲୋକ ଜଣକ କହିଲେ ମାଉସୀ ମୁ ଔଷଧ ବି ଆଣିଛି। ସ୍ୱପ୍ନା କହିଥିଲା ଆଉ ଔଷଧର ଚିଠା ବି ଦେଇଥିଲା।

ଶୁଖି ଯାଇଥିବା ଲୁହ ଚିତ୍ରା ମାଉସୀ ଆଖିକୁ ପୁଣି ଓଦା କରି ଦେଲା ଆଉ ସେହି ସ୍ତ୍ରୀ ଲୋକକୁ ଜାବୁଡି ଧରି କହିଲା ମା ଲୋ …ସାଙ୍ଗ ଭଳିଆ ସାଙ୍ଗ ଟିଏ ପାଇଛୁ। ରହ ମୁ ଟିକେ ଜଳଖିଆ କରି ଦିଏ ଖାଇ କରି ଯିବୁ ।ସ୍ତ୍ରୀ ଲୋକ ଜଣକ କହିଲେ ନାଇଁ ମାଉସୀ ଆପଣ ରତ୍ନ ଟିଏ ପାଇ ଛନ୍ତି। ବୋହୂ ଆପଣ ଙ୍କ ର ବହୁତ୍ ଭଲ। ଏହି ଘର ଖୁବ୍ ଶୀଘ୍ର ହସି ଉଠିବ। ଆପଣଙ୍କ ପୁଅ ବୋହୁ ଆଉ ନାତି ଏହି କାର୍ତ୍ତିକ କୁ ଘରକୁ ଆସିବେ। ଆପଣ ଆଜି ଯାଏ ବୋହୂ କୁ ଆଉ ନାତି କୁ ଦେଖି ନାହାନ୍ତି । ସମସ୍ତଙ୍କୁ ଦେଖିବେ। ମୁଁ ବି ଆସିବି। ଆପଣ ମୋତେ ସେହିଦିନ ମିଠା ଖୁଆଇବେ। ଏତିକି ବେଳେ ସେପଟ ଘରୁ ଡାକ ଶୁଭିଲା ଚିତ୍ରା, କିଏ ଆସି ଛନ୍ତି? ଚିତ୍ରା ଉତ୍ତର ଦେଲେ ବୋହୂ ତାଙ୍କ ସାଙ୍ଗକୁ ବାତ୍ୟା ପାଇଁ ଶୁଖିଲା ଖାଦ୍ୟ ଆଉ ତୁମ ପାଇଁ ଔଷଧ ଦେଇ ପଠାଇଛି। ରୋଗ ବିଛଣାରୁ ଶବ୍ଦ ଶୁଭୁଥିଲା ଈଶ୍ୱର ତାର ମଙ୍ଗଳ କରନ୍ତୁ। ଏତିକି ବେଳେ ପୁଣି ଡ଼ାକବାଜି ଯନ୍ତ୍ରରେ ଶୁଭୁଥିଲା …ବାତ୍ୟା ଆସୁଛି । ଆପଣ ମାନେ ସୁରକ୍ଷିତ ସ୍ଥାନ କୁ ଚାଲିଯାଆନ୍ତୁ । ଘରେ ଶୁଖିଲା ଖାଦ୍ୟ ଆଉ ପିଇବା ପାଣି ମହଜୁଦ ରଖନ୍ତୁ ।

\"\"

Leave a Reply

Your email address will not be published. Required fields are marked *