Blog

ମୁଁ ବାତ୍ୟା ଆଶ୍ରୟସ୍ଥଳୀରୁ କହୁଛି……!!

ମୁଁ ବାତ୍ୟା ଆଶ୍ରୟସ୍ଥଳୀରୁ କହୁଛି……!!

ଟିଭି ପରଦାରେ ଘନ ଘନ ଚର୍ଚ୍ଚା ଜାରି ରହିଛି ,ବାତ୍ୟା ଆସୁଛି । ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧି ଆଉ ଦିନକ ପରେ ଉପକୂଳ ଜିଲ୍ଲା ର ସ୍ଥଳଭାଗରେ ମାଡ ହେବ। ପବନର ବେଗ ଘଣ୍ଟା ପ୍ରତି ୧୫୦ କି ମି ରୁ ଅଧିକ ରହିବ। ଓଡ଼ିଶାର ଧନ ଜୀବନ ଏମିତି ବାତ୍ୟା ରେ ଅସୁରକ୍ଷିତ। ୧୯୭୧ ମସିହାର ବାତ୍ୟା ହେଉ କି ୧୯୯୯ ମସିହାର ମହାବାତ୍ୟା , ସବୁ ବାତ୍ୟା ଓଡ଼ିଶାର ମେରୁଦଣ୍ଡ କୁ ଦୋହଲାଇ ଦେଇଛି। ହଜାର ହଜାର ଲୋକ ପ୍ରାଣ ବଳୀ ଦେଇଛନ୍ତି। ଘରଦ୍ୱାର ନିଶ୍ଚିହ୍ନ ହୋଇ ଯାଇଛି। ପଶୁ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଚାଷ ଜମିରେ ପାଣି ଦୋଳି ଖେଳିଛି। ଅନେକ ଗାଁ ମଣିଷ ଶୂନ୍ୟ ହୋଇ ଯାଇଛି। ଆର୍ଥିକ ମାନ ଦଣ୍ଡ କମି ଯାଇଛି। କିଏ ଗ୍ରାଫ ଟାଣି ବୁଝାଇ ଚାଲିଛନ୍ତି ତ କିଏ ଇତିହାସର ଅବତାରଣା କରୁଛନ୍ତି । ତିନି ଦିନ ଧରି ଏମିତି ଆଲୋଚନା ଶୁଣି ଶୁଣି ବ୍ୟସ୍ତ ଯେତିକି ଲାଗୁଛି ଭୟ ସେତିକି ଲାଗୁଛି। ଏମିତି ମାନସିକ ଅବସ୍ଥାରେ ସୋନାଲି ଚତୁର୍ବେଦୀ। ସମୁଦ୍ର କୂଳ ଠାରୁ ଦୁଇ କିମି ଦୂରରେ ଘର। ଗାଁ ର ଗୋଟିଏ ପାଖରେ ଧାରେ ନଈ ସମୁଦ୍ରରେ ମିଶିଛି। ଭୟ ଅଛି ପୁଣି ଆତଙ୍କ ବି ଅଛି।

ଶଶୁର ପୂର୍ଣ୍ଣଚନ୍ଦ୍ର ବାବୁ ଏହି ଅଞ୍ଚଳର ନାମକରା ଲୋକ। ସେ ସମୟର ସରକାରୀ ଚାକିରିଆ । ତହସିଲଦାର ପଦବୀରୁ ଅବସର ନେଇ ଗାଁ ରେ ରହୁଛନ୍ତି । ଶାଶୁ ମଧ୍ୟ ଶିକ୍ଷକତା କରି ଅବସର ପରେ ଘରେ ରହୁଛନ୍ତି। ଅଧିକାଂଶ ସମୟ ତାଙ୍କର ନାତି ନାତୁଣୀ ସହିତ କଟି ଯାଏ। ପୂର୍ଣ୍ଣଚନ୍ଦ୍ର ବାବୁଙ୍କ ଦୁଇ ମହଲା ବିରାଟ ଘର ସାମନା କୁ ଠିଆ ହୋଇଛି ବାତ୍ୟା ଆଶ୍ରୟସ୍ଥଳୀ। ଏମିତି ବାତ୍ୟା ବନ୍ୟା ସମୟରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ରେ ଗହଳି ଲାଗେ। କେଁ କଟର ଶବ୍ଦ ରୋଷେଇ ବାସ ଖାଇବା ପିଇବା ର ମାହୋଲ ଲାଗେ। ସୋନାଲି ଅନେକ ଥର ଭାବି ଛନ୍ତି ସେଠାକୁ ଯିବେ ଦେଖିବା ପାଇଁ। ଲୋକେ ସେଠାରେ କେମିତି ସମୟ କାଟୁଛନ୍ତି । ସ୍ବାମୀ ବାହାରେ ଚାକିରି କରନ୍ତି । ମାସକୁ ଥରେ ଦୁଇଥର ଆସନ୍ତି । ବିବାହର ଅନେକ ବର୍ଷ ବିତି ଗଲାଣି। ପିଲା ମାନେ ବି ବଡ ହୋଇ ଗଲେଣି। କଲେଜରେ ପାଠ ପଢୁଛନ୍ତି। ସୋନାଲି ଙ୍କ ସମୟ ମୁଖ୍ୟତଃ ଘରେ ହିଁ କଟି ଯାଏ। ସ୍ନାତକ ପାସ କରି ଥିଲେ ମଧ୍ୟ ଶଶୁର ବୋହୂଙ୍କ ଚାକିରି ସପକ୍ଷରେ ନ ଥିଲେ। ତେଣୁ ଘର କାମ ଆଉ ପରିବାର ସଜାଡି ବାରେ ତାଙ୍କର ସମୟ କଟିଛି। ବେଳେ ବେଳେ ସ୍ବାମୀ ଙ୍କ ସହିତ ତାଙ୍କ ପାଖକୁ ଚାଲି ଯାଆନ୍ତି।ସୁଦୂର ଟାଟା ରେ ବି ତାଙ୍କର ନିଜର ପ୍ଲାଟ ଅଛି। ସପ୍ତାହେ ଦୁଇ ସପ୍ତାହ କାଟି ପୁଣି ଫେରନ୍ତି। ଅନେକ ସମୟ ବି ଏମିତି କଷ୍ଟରେ କଟି ଯାଏ। ସ୍ବାମୀ ଶୁଭକାନ୍ତ ଜଣେ ଭଲ ମଣିଷ। ସୋନାଲି ଙ୍କୁ ପାଇ ବିବାହର ପ୍ରଥମ ଦିନରୁ ଖୁବ୍ ଖୁସି ସେ। ତାଙ୍କ ଜୀବନ ସହିତ ସୋନାଲି ଯେମିତି ନୁଆ ରାଜ ଦରବାର ଗଢିବାରେ ସହଯୋଗ କରିଛନ୍ତି। କୁହାଯାଏ ସ୍ତ୍ରୀ ସ୍ୱାମୀର ଭବିଷ୍ୟତ ନିର୍ଦ୍ଧାରଣ କରନ୍ତି। ସୋନାଲି ଯେମିତି ସୁଭକାନ୍ତଙ୍କ ପାଇଁ ଈଶ୍ୱରଙ୍କ ଅମୂଲ୍ୟ ଦାନ ବୋଲି ଭାବି ଥାଆନ୍ତି ସେ।

ଏହି ବାତ୍ୟା ସମୟରେ ସୋନାଲି ଶାଶୂଙ୍କ ସହିତ ବସି କହିଲେ ମା ଚାଲନ୍ତୁ ସେପଟ ବାତ୍ୟା ଆଶ୍ରୟସ୍ଥଳୀ ଯିବା। ମୋର ଇଚ୍ଛା ହେଉଛି ଏମିତି ଦୁର୍ଦ୍ଦିନ ସମୟରେ ଗରୀବ ଅସହାୟ ଲୋକେ କେମିତି ସମୟ କାଟୁଛନ୍ତି ଟିକେ ଦେଖିବା। ଶଶୁର ମଧ୍ୟ ଏହି କଥାରେ ସମ୍ମତି ଦେଲେ। କହିଲେ\” ବୋହୂ \”ଏହି ସମୟରେ ଖାଲି ହାତରେ ସେମାନଙ୍କ ପାଖକୁ ଗଲେ ଭଲ ଲାଗିବ ନାହିଁ। ଭଗବାନ ତ ଆମକୁ ଅଭାବ ଦେଇ ନାହାନ୍ତି । ପାଖ ଦୋକାନୀ ସହିତ ପରାମର୍ଶ କରି ସହେ ପ୍ୟାକେଟ ବିସ୍କୁଟ ବ୍ୟବସ୍ଥା କରି ବୁଲି ଆସ। ସମସ୍ତଙ୍କୁ ଅତି କମ ରେ ବିସ୍କୁଟ ପ୍ୟାକେଟ ଟିଏ ଦେବ। ଏମିତି ପ୍ରସ୍ତାବ ରେ ସମସ୍ତେ ଖୁସି ହେଲେ। ବିସ୍କୁଟ ର ବ୍ୟବସ୍ଥା ମଧ୍ୟ ହେଲା। ଶାଶୂଙ୍କ ସହିତ ଘରେ ନିୟମିତ କାମ କରୁଥିବା ବିଶ୍ଵସ୍ତ ରାମ ଭାଇ ଓ ସୋନାଲି ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚିଲେ।

\"\"

ହତବାକ ହୋଇ ପଡିଲେ ସୋନାଲି । ମଣିଷ କି ଅବସ୍ଥାରେ ପଡ଼ି ଯାଏ। ଗାଈ ଛେଳି ପିଲା ଛୁଆ ଧରି ଲୋକେ ଏଠି ପଡ଼ି ରହିଛନ୍ତି। କିଏ ସାଙ୍ଗରେ ଦୁଇ ଖଣ୍ଡ ଲୁଗା ପଟା ଆଣିଛି ତ କିଏ ଛୋଟ ଟ୍ରଙ୍କ ଟିଏ ଉଠେଇ ଆଣିଛି। କୋଉଠି ଛୋଟ ପିଲାଟି ମା ପାଖରେ ଜିଦି କରୁଛି ମା ଭୋକ ହେଲାଣି । ପଚାରୁଛି ଖାଇବି କେତେବେଳେ। ମା ତାକୁ ବୁଝେଇ ଚାଲିଛି । ରହ ବାପା ବାହାରକୁ ଯାଇଛନ୍ତି । ତୋର ପାଇଁ ବିସ୍କୁଟ ଆଣିବେ ଖାଇବୁ। ସୋନାଲି ର ପାଦ ଅଟକି ଗଲା ସେହି ପିଲା ପାଖରେ । ଛୁଆଟି ର ମାକୁ କହିଲେ ଆମେ ବିସ୍କୁଟ ଆଣିଛୁ। ତୁମେ ପିଲାକୁ ଖୁଆଇ ଦିଅ। ସମସ୍ତଙ୍କୁ ଗୋଟିଏ ପ୍ୟାକେଟ ବିସ୍କୁଟ ବଣ୍ଟା ହେଲା ଆଉ ସୋନାଲି ସେହି ପିଲାର ମାକୁ ଦୁଇ ପାକେଟ ବିସ୍କୁଟ ଦେଇ ଛଳ ଛଳ ହୋଇ ଯାଉଥିବା ଆଖିରୁ ଲୁହ ପୋଛୁଥିଲେ । ବିସ୍କୁଟ ପ୍ୟାକେଟ ଦେଖି ପିଲାଟିର ଆନନ୍ଦ ଦେଖିଲେ ନ ସରେ। ସୋନାଲି ଚକା ପକାଇ ତଳେ ବସି ପଡିଲେ ।ପଚାରିଲେ ମା ଘରେ କିଏ କିଏ ଅଛନ୍ତି? ଘରେ ତାଲା ପକାଇ ଏଠିକୁ ଚାଲି ଆସିଛ ??? ବିଚାରୀ ସ୍ତ୍ରୀ ଲୋକର ଆଖି ରୁ ଲୁହ ଗଢିବାକୁ ଲାଗିଲା ।ସେ ସନ୍ତର୍ପଣରେ କହିଲା ମା ଘରେ ତାଲା କଣ ପଡ଼ିବ । ପ୍ରତି ଦିନ ମୂଲ ଲାଗିଲେ ଆମେ ଖାଇ ପି ବଞ୍ଚି ଯାଉ। ଘରେ ଅଛି କଣ ? ଛପର ଘର। ବାଉଁଶ କବାଟ ଲାଗିଛି । ବାତ୍ୟା ଜୋର୍ ହେଲେ ପୁରା ଘର ଭାଙ୍ଗି ଯିବ। ଆମେ ରହିବୁ କୋଉଠି ? ଖାଇବୁ କଣ ,?? ଭଗବାନ ଆମକୁ କେବଳ ଭରସା । ଏମିତି କଥା ଶୁଣି ସୋନାଲି ଆଖିରେ ଲୁହ ଗଡି ଚାଲିଲା। ଶାଶୂଙ୍କ ଲୁଚେଇ ଲୁଚେଇ ସେ ପୋଛି ଚାଲିଥିଲେ। କିଛି ଲୋକଙ୍କୁ ଭେଟିବା ପରେ ଶାଶୁ କ୍ଳାନ୍ତ ଜଣା ପଡ଼ିଲେ। ପାଖରେ ଥିବା ରାମ କୁ କହିଲେ ରାମୁ ତୁ ବୋହୂ ସହିତ ରହି ବୁଲା ବୁଲି କରି ଆସ। ମୁଁ ଆଗରେ ଘରକୁ ଯାଉଛି। ରାମୁ ସନ୍ତର୍ପଣରେ ହଁ ଭରିଲେ ଆଉ ଶାଶୁ ମଧ୍ୟ ଚାଲି ଗଲେ। ପଚାଶ ମିଟର ଦୂରରେ ଘର। କଲେ ସନ୍ଧ୍ୟା ହେବାକୁ ଘଣ୍ଟାଏ ବାକି ଅଛି। ସୋନାଲି ଭାବିଲେ ରାତି ଆସିଲେ ଏହି ଅଞ୍ଚଳ ଭୟଙ୍କର ଲାଗିବ। ବର୍ଷା ବି ଆରମ୍ଭ ହୋଇ ଗଲାଣି। ସମୁଦ୍ରର ସୁ ସୂଗର୍ଜନ ବି ଶୁଭୁଚି । ଆଉ କିଛି ସମୟ ବୁଲିବି ଆଉ କିଛି ଲୋକଙ୍କୁ ଭେଟି ମୁ ଫେରିବି। ଏତିକି ବେଳେ କିଛି ଲୋକ ଷ୍ଟ୍ରେଚର୍ ରେ ଜଣେ ବୁଢ଼ା ଲୋକଙ୍କୁ ନେଇ ଆସିଲେ ବାତ୍ୟା ଆଶ୍ରୟସ୍ଥଳୀ କୁ। ତାଙ୍କ ପଛରେ ବୁଢ଼ୀ ଲୋକ ଟିଏ ଗୋଟିଏ କପଡ଼ା ପୁଡିଆ ଟିଏ ଧରି ଧାଇଁଛି ସ୍ବାମୀ ସେବା ପାଇଁ। ଲୋକେ କଥା ହେଉ ଥିଲେ ପୁଅ ବୋହୁ ଏମାନଙ୍କ କଥା ବୁଝି ନାହାନ୍ତି। ଏମାନେ ପୁଅ ବୋହୂ ଠାରୁ ଅଲଗା ହୋଇ ରହୁ ଛନ୍ତି। ଯେତିକି ଭତ୍ତା ପଇସା ଆଉ ଚାଉଳ ମିଳେ ସରକାରଙ୍କ ଠାରୁ ସେତିକିରେ ଏମାନେ ଚଳି ଥାଆନ୍ତି। ବୁଢ଼ା ମଉସାଟି ବୃଦ୍ଧାବସ୍ଥା ଜନିତ ରୋଗରେ ଆକ୍ରାନ୍ତ । ଚଟାଣ ଉପରେ ବୁଢ଼ା ମଉସାକୁ ଶୁଆଇ ଦେଇ ସେମାନେ ପୁଣି ଗାଁ କୁ ଚାଲି ଗଲେ। ବୁଢ଼ୀ ମାଉସଟି ମଉସା ଙ୍କ ମୁଣ୍ଡ ପାଖରେ ବସି ଆଉଁସି ବାରେ ଲାଗି ପଡିଲା। ସୋନାଲି ସମ୍ଭ୍ରାନ୍ତ ଘରର ବୋହୂ। ଦେଖିବାକୁ ଖୁବ୍ ସୁନ୍ଦରୀ। ବୟସ ବଢି ଚାଲିଲେ ବି ସୋନ୍ଦର୍ଯ୍ୟ ପସରା ତାଙ୍କ ଶରୀରକୁ ଆଚ୍ଛାଦିତ କରି ରଖିଛି। ସୋନାଲି ଲଥ କରି ବୁଢ଼ୀ ମାଉସୀ ପାଖରେ ବସି ପଡିଲେ। ମାଉସୀ ଆଶ୍ଚର୍ୟ୍ଯ ହୋଇଗଲେ। କହିଁ ଉଠିଲେ ନାଇ ମା ତୁମେ ଏଇଠି ତଳେ ବସ ନାହି। ଆମେ ଗରୀବ ଗୁରୁବା ମଣିଷ । ତୁମେ ଆମ ପାଖରେ …ଆଉ କଣ କହିବାକୁ ଯାଉ ଥିଲେ ବୁଢ଼ୀ ମାଉସୀ ମାତ୍ର ତା ପୂର୍ବରୁ ସୋନାଲି ମାଉସୀ ପାଟିରେ ହାତ ଦେଇ ଦେଲେ। ମାଉସୀ ଏମିତି କୁହ ନାହିଁ। ସବୁ ମଣିଷ ସମାନ। ପଚାରିଲେ ମଉସା ଙ୍କ ର କଣ ହୋଇଛି। ବୁଢ଼ୀ ମାଉସୀ କାନ୍ଦି କାନ୍ଦି ଆରମ୍ଭ କଲେ ମା ମୁ ଜାଣିନି। ପୁଅ ଆମକୁ ପଚାରୁ ନାହିଁ। ମୋ ପାଖରେ ପଇସା ବି ନାହି। ମୁଁ ମଉସାଙ୍କୁ ଡାକ୍ତର ଦେଖେଇ ପାରୁନି । ଆଶ୍ଚର୍ୟ୍ଯ ହୋଇ ଗଲେ ସୋନାଲି।ଦେଶର ବିକାଶର ଚିତ୍ର ତା ହେଲେ ଏଇଆ। ଔଷଧ ଅଭାବ ରୁ ଗରିବ ଲୋକ ମରିଯିବ। ତେବେ ରାଜନେତା ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ଲୋକମାନଙ୍କର ବିକାସ ହୋଇଛି। ତେବେ ବିକାଶର ଚିତ୍ର କଣ ଏମିତି। କିଛି ସମୟ ଚୁପ୍ ହୋଇ ବସି ପଡିଲେ ସେ । ଭ୍ୟାନିଟ ବ୍ୟାଗ୍ ଖୋଲି ତିନି ହଜାର ଟଙ୍କା ବାହାର କଲେ। କହିଲେ ମାଉସୀ ବାତ୍ୟା କମି ଗଲେ ଆପଣ ଏଇଠୁ ମଉସାଙ୍କୁ ନେଇ ଡାକ୍ତର ଖାନା ଯିବେ। ବୁଢ଼ୀ ମାଉସୀ ଆଶ୍ଚର୍ୟ୍ଯ ହୋଇଗଲେ। ଅୟ ସୁଲକ୍ଷଣୀ ହୁଅ ମା କହି ସନାଲିଙ୍କ ମୁଣ୍ଡରେ ହାତ ଥୋଇ ଦେଲେ। ମୁଁ ତୁମର କେହି ନୁହେଁ ମାତ୍ର ତୁମେ ମୋତେ ଏତେ ସାହାଯ୍ୟ କରୁଛ। କିଛି ଦୂରରେ ବସି ବୁଢ଼ୀ ମାଉସୀର ପୁଅ ଯିଏ ବାତ୍ୟା ପାଇଁ ତାର ସ୍ତ୍ରୀ ପିଲାଙ୍କୁ ଧରି ଏଠି କୁ ଆସିଥିଲା ଏହି ଘଟଣାକୁ ଦେଖୁ ଥିଲା। ତାର ଛୁଆଟି ଧାଇଁ ଯାଇ ବୁଢ଼ୀ ମା କୋଳରେ ଶୋଇ ପଡିଲା ଆଉ କହିଲା ମାଆ ଆଜି ରାତିରେ ମୋତେ ଗପ କହିବୁ ନାହିଁ ??! ପୁଅ ସିନା ପଚରୁଁ ନାହିଁ ମାତ୍ର ନାତି ଟୋକାକୁ ସ୍ନେହରେ କୋଳକୁ ନେଇ ବୁଢ଼ୀ ମା ଗେଲ କରି ଚାଲିଲା। ସୋନାଲି ସବୁ ବୁଝି ପାରି ଭାବୁଥିଲେ ଏହି ପୁରୁଣା ଲୋକ ମାନଙ୍କ ଭିତରେ ଯେଉଁ ମହାନତା ଅଛି ସେଗୁଡ଼ାକ ଏବେ ଆଉ ଦେଖିବାକୁ ମିଳୁ ନାହି।

ଆଗକୁ ଚାଲିଲେ ସୋନାଲି। ତିନି ପିଲାଙ୍କ ସହିତ ମା ଟି ଛିଡା ଚାଦର ପକାଇ ବସିଛି। ସୋନାଲି ସେଇଠି ପୁଣି ବସି ପଡିଲେ। ପଚାରିଲେ ମା ଆଜି କଣ ଖାଇଛ ? ଲାଜ ଲାଜ ହୋଇ ସେ ଉତ୍ତର ଦେଲେ ସକାଳୁ ଭାତ ଖାଇ ନାହି। ଏଇଠି ଚୂଡା ଗୁଡ ମିଳିଥିଲା ଖାଇଛି ।ରାତିରେ ଏଇଠି ରୋଷେଇ ହେବ ଖାଇ ଦେବି । ଚୁପ୍ ହୋଇଗଲେ ସୋନାଲି। ପଚାରିଲେ ସ୍ବାମୀ କଣ କାମ କରନ୍ତି ?? ସ୍ତ୍ରୀ ଲୋକଟି କାନ୍ଦ କାନ୍ଦ ହୋଇ କହିଲା ସେ ମୋ ପାଖକୁ ଆସୁ ନାହାନ୍ତି। କଲିକତାରେ ଆଉ ଗୋଟିଏ ବାହା ହୋଇ ରହୁଛନ୍ତି। ମୁଁ ମୂଲ ଲାଗି ପିଲାଙ୍କୁ ଖାଇ ବାକୁ ଦେଇ ବଞ୍ଚେଇ ରଖିଛି । ଏତିକି କହି ସାରିବା ବେଳକୁ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା। ଆଉ ସୋନାଲି ବି ଲୁଚେଇ ଲୁଚେଇ କାନ୍ଦୁ ଥିଲେ । ଏତିକି ବେଳେ ବାର ବର୍ଷର ବଡ ପୁଅ କହିଲା ମା ମୁ ଯାଉଛି ଘର ଆଡେ ବୁଲି ଆସି ଘର ଦେଖି ଆସିବି ଆଉ ଆସିଲା ବେଳେ ମୋ ପଢା ବହି ବସ୍ତାନି ଏଇଥିକୁ ନେଇ ଆସିବି। ମାଆ ପୁଅ କଥାରେ ହଁ ଭାରିଲା। ଏତିକି ବେଳେ ସୋନାଲି ରାମୁ ଭାଇକୁ ଇଙ୍ଗିତ ଦେଲେ ତିନି ପିଲାଙ୍କ ହାତରେ ତିନି ପ୍ୟାକେଟ ବିସ୍କୁଟ ଦେବା ପାଇଁ। ନିଜର ମୋବାଇଲ ନମ୍ବର ଲେଖି ସେହି ମାଙ୍କୁ ଦେଲେ ଆଉ କହିଲେ ବାତ୍ୟା ପରେ ମୋତେ ଫୋନ୍ କରିବ । ନ ହେଲେ ରାମୁ ଭାଇ ସହିତ ଆମ ଘରକୁ ଆସିବ। ବାତ୍ୟା ଆଶ୍ରୟସ୍ଥଳୀ ର ଏହି ଚିତ୍ର ସୋନାଲି ଙ୍କ ମନକୁ ଵ୍ୟତି ବ୍ୟସ୍ତ କରି ପକେଇଲା । ସେ ଭାବି ଚାଲିଲେ ଏହି ଲୋକ ମାନଙ୍କର ଜୀବନ କାହିଁକି ଏମିତି ଭଗବାନ ତିଆରି କରିଛନ୍ତି । ଦୁଃଖ ଆଉ ଯନ୍ତ୍ରଣା ଭିତରେ ଏହି ଲୋକ ମାନେ ପୁରା ଅଣ ନିଶ୍ବାସୀ ହୋଇ ଅଛନ୍ତି। ଏମାନଙ୍କ ଜୀବନର ଚିତ୍ର ବହୁତ୍ ଯନ୍ତ୍ରଣାଦାୟକ। ହେ ଈଶ୍ୱର ଏମାନଙ୍କୁ କେବଳ ଆଶୀର୍ବାଦ କର। ଏତିକି କହି ବାତ୍ୟା ଆଶ୍ରୟ ସ୍ଥଳୀ ଛାଡ଼ିବାକୁ ମନସ୍ଥ କଲେ ସୋନାଲି। ଆଗରେ ଦେଖିଲେ ଦଳେ ଲୋକଙ୍କ ସହିତ ସରପଞ୍ଚ ଆସୁ ଛନ୍ତି। ସରପଞ୍ଚ ତାଙ୍କ ଶଶୁରଙ୍କ ପାଖକୁ ଯାଆନ୍ତି। ଅନେକ ଥର ସେ ଚାହା କରି ଦେଇଛି । ସେ ତାଙ୍କୁ ଚିଂହିଛନ୍ତି। ଆଗକୁ ଯାଇ ଶାଢ଼ୀ ସଜାଡି ପାଦତଳେ ମୁଣ୍ଡ ରଖି ନମସ୍କାର ହେଲେ ସରପଞ୍ଚ ଙ୍କୁ। ସରପଞ୍ଚ ଆଶ୍ଚର୍ୟ୍ଯ ହୋଇ କହି ଉଠିଲେ ଆରେ ମା ତମେ କାହିଁକି ଏଠାକୁ ଆସିଥିଲ? ସୋନାଲି ହସି ହସି ଉତ୍ତର ଦେଲେ ବୁଲି ଦେଖିବାକୁ ଆସିଥିଲି ମାତ୍ର ଗରିବ ଲୋକଙ୍କ ବିକଳ ଚିତ୍ର ମୋତେ ବହୁତ୍ ଦୁଃଖ ଦେଲା। ଆପଣ ବାତ୍ୟା ପରେ ଆମ ଘରକୁ ଆସିବେ । ଆମେ ବସି ଏହି ପଞ୍ଚାୟତ ର ଗରିବ ଗୁରୂବା ଲୋକଙ୍କ ପାଇଁ କିଛି ଯୋଜନା କରିବା। ସରପଞ୍ଚ ଆଶ୍ଚର୍ୟ୍ଯ ହୋଇଗଲେ । ତଥାପି ସମ୍ମତି ପ୍ରଦାନ କଲେ।

ବାତ୍ୟା ଆଶ୍ରୟ ସ୍ଥଳୀ ବାହାରକୁ ଆସି ଫୋନ୍ ଲଗାଇଲେ ସ୍ବାମୀ ଶୁଭକାନ୍ତ ଙ୍କୁ ଆଉ କହିଲେ ଆଜି ମୁ ଘରୁ ଫୋନ୍ କରୁ ନାହି। ମୁଁ ବାତ୍ୟା ଆଶ୍ରୟସ୍ଥଳୀ ରୁ କହୁଛି। ମୁଁ ଆଜି ବହୁତ୍ ଦୁଃଖରେ ଅଛି। ଆମେ ସିନା ଭଲରେ ଅଛେ ମାତ୍ର ଆମ ଚାରି ପାଖର ମଣିଷ ମାନେ ନିହାତି ଅସହାୟ ଆଉ ଦୁଃଖରେ ବଞ୍ଚି ଛନ୍ତି। ତୁମର ଘରଣୀ ହୋଇ ଅଧା ଜୀବନ କାଟି ଦେଲି। ଆଜି କିନ୍ତୁ ଆଉ କିଛି ନୂଆ କଥା ମନକୁ ଆସିଛି। ଜୀବନର ଅବଶିଷ୍ଟ ଅଂଶ ଏହି ଗରିବ ଲୋକଙ୍କ କାମରେ ସମର୍ପିତ କରିବି ।

ସେପଟୁ ଶୁଭିଲା ସୋନାଲି ତମେ ଏ ସବୁ କଣ କହୁଛ ?? ଘରେ କେହି ନାହାଂତି କି ? ସୋନାଲି ଦମ୍ଭର ସହିତ ଉତ୍ତର ଦେଲେ ମୁଁ ବାତ୍ୟା ଆଶ୍ରୟ ସ୍ଥଳୀରୁ କହୁଛି। ଶୀଘ୍ର କାମ ସାରି ଛୁଟି ନେଇ ଆସ ଦେଖିବ ତୁମ ଗାଁ ର ଲୋକ ମାନେ କେମିତି ଦୁଃଖରେ ଅଛନ୍ତି । ଈଶ୍ୱର ଆମକୁ ବହୁତ୍ ଦେଇ ଛନ୍ତି । ଆମେ କିଛି କାମ ଏହି ଲୋକ ମାନଙ୍କ ପାଇଁ କରିବା। ଏତିକି ବେଳେ ରାମୁ ଭାଇ ଆସି କହିଲେ ବୋହୂ ମା ସନ୍ଧ୍ୟା ହୋଇ ଗଲାଣି । ଆସନ୍ତୁ ଘରକୁ ଯିବା। ପବନ ବି ବଢ଼ି ଲାଣି। ବର୍ଷା ଆରମ୍ଭ ହୋଇ ଗଲାଣି। ତୁମେ ଓଦା ହୋଇଯିବ । ସୋନାଲି ଆଉ ରାମୁ ଭାଇ ବାତ୍ୟା ଆଶ୍ରୟ ସ୍ଥଳୀ ବାହାରକୁ ଆସିଲା ବେଳେ ଦୁଇ ଜଣ ପିଲା ଦଉଡ଼ି ଆସି ପଚାରିଲେ ଆଜ୍ଞା ଆଉ ବିସ୍କୁଟ ନାହି ଆମ ପାଇଁ,?? ସୋନାଲି ଆଖିରେ ପୁଣି ଲୁହ ଆସିଗଲା। ସେତେବେଳକୁ ସବୁ ବିସ୍କୁଟ ବଣ୍ଟା ସରି ଥିଲା। ସେ ରାମୁ ଭାଇ ଙ୍କୁ କହିଲେ ଏହି ପିଲାଙ୍କୁ ଆଉ ଦୁଇ ପ୍ୟାକେଟ ବିସ୍କୁଟ କିଣି ଆଣି ଆଜି ଦିଅ। ରାମୁ ଭାଇ ସନ୍ତର୍ପଣରେ ହଁ ଭରିଲେ।

Leave a Reply

Your email address will not be published. Required fields are marked *