Blog

ମନ ଖୋଲା ହସ

ମନ ଖୋଲା ହସ

ହସ ମନର ପ୍ରଫୁଲ୍ଲତା, ଭାବର ଆବେଗ ଏବଂ ହୃଦୟର ପରିପୂର୍ଣ୍ଣ ତାକୁ ପ୍ରକାଶ କରିଥାଏ । ଭାଵ ବିହ୍ଵଳ ହୋଇ ଆମେ ହସୁ I ମନଖୋଲା ହସରେ ଶରୀର ମନ ପ୍ରାଣ ସିହିରି ଉଠେ l ହସରେ ନିର୍ମଳ ବିଚ଼ାର ଏବଂ ଶୁଦ୍ଧ ବିଦ୍ଦ୍ଵତ୍ତାର ଝଲକ ଥିଲେ ତାହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ I

ହସ ମନର ଉତ୍ତେଜନା ହ୍ରାସ କରି ମନକୁ ହାଲୁକା କରିଦିଏ I ଶରୀର ହାଲକା ଏବଂ ଶିଥିଳ ହୁଏ I ଭାବନା ରେ ସହଜ ବୋଧ ଆଣିଦିଏ I ହସ, ହୃଦୟର ଗଭୀରତମ ପ୍ରଦେଶରେ ଆନ୍ଦୋଳିତ କରି ଥାଏ I ଅନ୍ତଃ ଚେତନ ମଧ୍ୟରେ ଏକ ମଧୁର ଛାପ ସୃଷ୍ଟି କରେ । ହସ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ I

ହସ ସୁସ୍ଥ ଜୀବନ ପାଇଁ ସବୁଠାରୁ ବଡ଼ ମହୋଷଧି । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ସ୍ୱାସ୍ଥ୍ୟ ରେ ଉନ୍ନତି ଆଣିବାରେ ସହାୟକ ହୁଏ । ହସ, ଅପ୍ରିତିକର ବାତାବରଣ ଏବଂ ଅସ୍ୱାଭାବିକ ପରିସ୍ଥିତି ଠାରୁ ନିଜକୁ ରକ୍ଷା କରି ଥାଏ ।

ହସ ମାନସିକ ଚାପ ଓ ପିଡାରୁ ନିଜକୁ ସୁରକ୍ଷା ଦିଏ I ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ଭାର ସମ୍ୟତା ରକ୍ଷାକରେ I ଭାବନାତ୍ମକ ସନ୍ତୁଳନ ରକ୍ଷା କରିବାରେ ଏହା ଏକ ପ୍ରଭାବଶାଳୀ ମାଧ୍ୟମ I ହସ ଭାବମୟ, ବିଦ୍ଵତ୍ତା ପୂର୍ଣ୍ଣ ହେଲେ ବେଶ ଖୁସି ଲାଗେ I

ନିଶବ୍ଦ ହସ ର ମାଧୁର୍ଯ୍ୟ ଅବଚେତନ ମନକୁ ଛୁଏ I ଅନ୍ତଃମନ ଭିତରେ ଥିବା ମଲିନତା ଧୋଇ ହୋଇ ଯାଏ I ମନରୁ ଅବସାଦ ସବୁ ଅପସରୀ ଯାଏ I ଭଲ ରୂଚି ସମ୍ପନ୍ନ ହସ, ଆଶ୍ଚର୍ଯ୍ୟ ଚକିତ କରିବା ମନ ଖୋଲା ହସ, ପରିବେଶ କୁ ଦୋହଲାଇ ଦିଏ I ହସ, ସାଙ୍ଗ ସାଥୀଙ୍କ ମଧ୍ୟରେ ଖୁସିର ଉତ୍ତାଳ ତରଙ୍ଗ ଭରି ଦିଏ I

ହସ ଆମକୁ ନୈସର୍ଗିକ ସୁଖ ଏବଂ ଆନନ୍ଦ ଭରି ଦିଏ I ଜୀବନ କୁ ଆନନ୍ଦରେ ଭରି ଦେବାରେ ହସ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିଭାଏ I ଜୀବନକୁ ମଧୁର ଏବଂ ରସପୂର୍ଣ୍ଣ କରିବା ପାଇଁ ଏହାର ଆବଶ୍ୟକତା ରହିଛି I

ହସ, ମନରେ ଉଲ୍ଲାସ ଏବଂ ଉନ୍ମାଦନା ର ଖୁସି ଲହର ଭରିଦିଏ I ଆନନ୍ଦର ଏକ ଦିବ୍ୟ ପୁଲକ ସଂଚାର କରେ I ଏହା ପ୍ରଫୁଲ୍ଲତା ର ଏକ ମନ ମୋହକ ଝଲକ ସୃଷ୍ଟି କରେ I ବାତାବରଣ କୁ ସୁନ୍ଦର ଓ ମଧୁର୍ଯ୍ୟର ମହକ ଭରି ଦେଇ ଥାଏ I ଏହା ପରିବେଶ ଓ ବାତାବରଣ କୁ ଆକର୍ଷଣୀୟ ଏବଂ ମନମୁଗ୍ଧ କର କରିଥାଏ ।

ହସ ଏକ ସହଜ, ସର୍ବବ୍ୟାପୀ ଉପଭୋଗ୍ୟ ସାମଗ୍ରୀ I ସବୁଠି ମିଳେ, ସହଜରେ ମିଳେ, ମାଗଣା ମିଳେ । ହସିବା ଏବଂ ହସାଇବା ସରଳ ଓ ପ୍ରୟାସ ହୀନ ସାମାଜିକ ମୂଲ୍ୟବାନ ସମ୍ପଦ I ହସିବା ମାନସିକ ସ୍ୱାସ୍ଥ୍ୟକୁ ବଳିଷ୍ଠ ଓ ଦୃଢ କରି ଥାଏ । ବନ୍ଧୁତ୍ୱର ବନ୍ଧନକୁ ଗଭୀର ଓ ଶକ୍ତିଶାଳୀ କରିଥାଏ ।

ହସ ଆମକୁ ଦୀର୍ଘାୟୁ କରେ । ତେଣୁ, ଯେକୌଣସି ସମୟରେ ହସିବାର ସୁଯୋଗ ପାଇଲେ ଏହାକୁ ହାତଛଡ଼ା ନକରି ହୃଦୟ ଖୋଲି, ଖୁସିରେ ହସିଵା ଉଚ଼ିତ I କିଛି ଲୋକ ହସ କୁ ପସନ୍ଦ କରନ୍ତି ନାହିଁ I ଗମ୍ଭୀର ସ୍ଵଭାଵ ର ଏହି ବ୍ୟକ୍ତିଙ୍କ ନଜର ରେ ହସି ହସାଉ ଥିବା ବ୍ୟକ୍ତି ଏକ ଆଶ୍ଚର୍ଯ୍ୟ ଜନକ, ଅଦ୍ଭୁତ ଜୀବ । ଏହା ଦୁର୍ବଳ ବ୍ୟକ୍ତିତ୍ୱର ନିଦର୍ଶନ I

ଅନ୍ୟକୁ ଥଟ୍ଟା କରିବା, ଚିଡ଼େଇବା, ପରିହାସ କରିବା ଆଦି ଅନେକ ସମୟରେ ବିସ୍ଫୋଟକ ଓ କ୍ଷତି କାରକ ହୋଇଥାଏ I କାହାକୁ ହତାଦର ନ କରି, ଛୋଟିଆ ମଣିଷ ର ଉପାଧି ନ ଦେଇ ମଧ୍ୟ ହସାଇବା ସମ୍ଭବ I ତାତ୍ସଲ୍ୟ ପୂର୍ଣ୍ଣ ହସ, ବିଦୃପ ହସ ଅନ୍ୟକୁ ଅପମାନିତ କରିବା ପାଇଁ ଅଭିପ୍ରେତ ଥାଏ । ଏଥିରେ ଇର୍ଷା ଭରି ଥିବା ଯୋଗୁଁ ନିଜ ପାଇଁ ମଧ୍ୟ ସୁଖ୍ କର ହୁଏ ନାହିଁ ।

ଯେଉଁ ମାନେ ହସିବା ଏବଂ ହସାଇବା ଜାଣନ୍ତି, ସେମାନେ ଅଧିକ ବୁଦ୍ଧିମାନ, ବିଚକ୍ଷଣ ବିଦ୍ବତ୍ତା ର ଅଧିକାରୀ ହୋଇ ଥାନ୍ତି I ହସାଇବା ବ୍ୟକ୍ତି ତୀକ୍ଷ୍ନ ବୁଦ୍ଧି ସମ୍ପନ୍ନ ଏବଂ ପ୍ରତିତ୍ପନ୍ନ ମତି ହୋଇ ଥାନ୍ତି l ହାସ୍ୟ ପ୍ରେମୀ ବ୍ୟକ୍ତି ଦୀର୍ଘାୟୁ ହୁଅନ୍ତି । ଖୁସି ଓ ଆନନ୍ଦରେ ଜୀବନ ଉପଭୋଗ କରିବା ରେ ସେମାନେ ସକ୍ଷମ ହୁଅନ୍ତି I

ହସ କେବେ କେବେ ଅନ୍ୟ ପ୍ରତି ଥଟ୍ଟା, ଉପହାସ ଏବଂ ବିଦୃପ ନେଇ ହୋଇଥାଏ l ଏହା କେବେ ନିଜର ବୋକାମି, ଭୁଲ ପଶ୍ଚାତାପ କୁ ଦର୍ଶାଇ ଥାଏ । କେବେ ମୁରୁକି ହସ, କେବେ ଅଟ୍ଟହାସ୍ୟ, କେବେ ଚ଼ୋରା ହସ ଏବଂ କେବେ ଲଜ୍ଜା ହସ ଅନେକ କଥା କହି ଥାଏ l ଭାଷାରେ ଅଭିବ୍ୟକ୍ତ ନ ହୋଇ ଭାବ ରେ ଅନେକ ବାର୍ତା ଦେଇ ଥାଏ । ଆମେ ମନଖୋଲି ହସିବା ଏବଂ ଦୁନିଆ କୁ ହସାଇବା I

Leave a Reply

Your email address will not be published. Required fields are marked *